ଖଲ୍ଲିକୋଟ ପଞ୍ଚାୟତ ସମିତି କାର୍ଯ୍ୟାଳୟର ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ: ରକ୍ଷଣାବେକ୍ଷଣ ଓ ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତା ଦାବୀ
Ganjam (ଗଞ୍ଜାମ)ରିପୋର୍ଟ: ଶିବରାମ ଜେନା, ଖଲ୍ଲିକୋଟJune 27, 2026100 views

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ରକ୍ଷଣାବେକ୍ଷଣର ଅଭାବ ଓ ବିକାଶମୂଳକ କାର୍ଯ୍ୟରେ ସ୍ୱଚ୍ଛତା ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ଉଠିଛି। ଏକଦା ଓଡ଼ିଶାର ପାଇଲଟ୍ ବ୍ଲକ୍ ଭାବେ ପରିଚିତ ଖଲ୍ଲିକୋଟ ବ୍ଲକ୍ ଅଧୀନରେ ୨୯ଟି ପଞ୍ଚାୟତ ରହିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବ୍ଲକ୍ ପରିସରରେ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସରକାରୀ ବାସଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ପରିସରରେ ସଫାସୁତୁରାର ଅଭାବ, ଶୌଚାଳୟର ଅବ୍ୟବସ୍ଥା, କମ୍ୟୁନିଟି ହଲ୍ ବନ୍ଦ ରହିବା ଏବଂ ଜେନେରେଟର ଉପରେ ଲତାଗୁଳ୍ମ ମାଡ଼ିଯିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି।
ପ୍ରତିଦିନ ବିଭିନ୍ନ ପଞ୍ଚାୟତରୁ ଲୋକମାନେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ଲକ୍ କାର୍ଯ୍ୟାଳୟକୁ ଆସୁଥିବା ବେଳେ, ଏପରି ଅବ୍ୟବସ୍ଥିତ ପରିବେଶକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।
ଏହା ସହ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ଆଞ୍ଚଳିକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ୟୟରେ ଏକ ଯୁବ କ୍ଲବ୍ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ, କାମ ଆରମ୍ଭ ସମୟରେ ସୂଚନା ଫଳକ ନଥିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ପରେ ତରବରିଆ ଭାବେ ସୂଚନା ଫଳକ ଲେଖାଯାଇଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ସୂତ୍ରରୁ ମଧ୍ୟ ଅଭିଯୋଗ ଆସିଛି ଯେ, ସୂଚନା ଫଳକରେ ଉଲ୍ଲେଖ ଥିବା ଠିକାଦାର ନିଜେ ଏହି କାର୍ଯ୍ୟ ସମ୍ପର୍କରେ ଅବଗତ ନଥିବା କହିଛନ୍ତି। ସେହିପରି ନିର୍ମାଣ କାର୍ଯ୍ୟର ମୂଳଦୁଆର ଗୁଣବତ୍ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ତେବେ ଏହି ସମସ୍ତ ଅଭିଯୋଗ ସମ୍ପର୍କରେ ବ୍ଲକ୍ ପ୍ରଶାସନ କିମ୍ବା ସମ୍ପୃକ୍ତ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ସ୍ଥାନୀୟ ବାସିନ୍ଦାମାନେ ନିର୍ମାଣ କାର୍ଯ୍ୟର ସ୍ୱଚ୍ଛତା ବଜାୟ ରଖିବା ସହ ଯନ୍ତ୍ରୀମାନଙ୍କ ଉପସ୍ଥିତିରେ ନିୟମିତ ତଦାରଖ କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି।
