ପାଠ୍ୟପୁସ୍ତକ ତ୍ରୁଟି ଘଟଣା: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ୍; ୪ ଅଧିକାରୀ ନିଲମ୍ବିତ, ୬ ଜଣଙ୍କୁ କାରଣ ଦର୍ଶାଅ ନୋଟିସ
Bhubaneswar (ଭୁବନେଶ୍ୱର)ରିପୋର୍ଟ: କବିରାଜ ପାତ୍ର (ସ୍ଵତନ୍ତ୍ର ପ୍ରତିନିଧି)June 27, 202682 views

ଭୁବନେଶ୍ୱର: ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକରେ ବ୍ୟାପକ ସଂଖ୍ୟକ ଭୁଲ୍ ଓ ତ୍ରୁଟି ଚିହ୍ନଟ ହେବା ପରେ, ରାଜ୍ୟ ସରକାର ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିକାଶ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ଏହି ବଡ଼ ଆକ୍ସନ୍ ନିଆଯାଇଛି।
ସୂଚନା ଅନୁଯାୟୀ, ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (SCERT) ର ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବିତ (Suspend) କରାଯାଇଛି। ଏହା ସହିତ ଅନ୍ୟ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ କାରଣ ଦର୍ଶାଅ ନୋଟିସ (Show Cause Notice) ଜାରି କରାଯାଇଛି।
ନିଲମ୍ବିତ ହୋଇଥିବା ଅଧିକାରୀମାନେ:
ଶିକ୍ଷକ ଶିକ୍ଷା ଓ SCERT ର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ,ସହକାରୀ ନିର୍ଦ୍ଦେଶିକା ପ୍ରଲିପ୍ତା ମିଶ୍ର
ସହକାରୀ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ
ସହକାରୀ ନିର୍ଦ୍ଦେଶିକା ଭାରତୀ ଟୁଡୁ।
ଏଥି ସହିତ ୬ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି,
କମିଟିର ସୁପାରିଶ ଆଧାର ରେ ଏହି ୬ ଜଣ ଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ ପ୍ରଦାନ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ:
ପିଲାମାନଙ୍କ ଭବିଷ୍ୟତ ଏବଂ ଶିକ୍ଷା ବ୍ୟବସ୍ଥାରେ ଏଭଳି ଦାୟିତ୍ୱହୀନତାକୁ ଆଦୌ ବରଦାସ୍ତ କରାଯିବ ନାହିଁ। କମିଟି ଦେଇଥିବା ୧୪ଟି ଯାକ ସୁପାରିଶକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବେ। ଆଗକୁ ଭାଷାଗତ ଶୁଦ୍ଧତା, ଚିତ୍ର ଏବଂ ବିଷୟବସ୍ତୁର ସଠିକତା ଯାଞ୍ଚ ନହେବା ପର୍ଯ୍ୟନ୍ତ କୌଣସି ବହି ପ୍ରିଣ୍ଟିଂ ପାଇଁ ଯିବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଚଳିତ ଶିକ୍ଷାବର୍ଷର ପାଠ୍ୟପୁସ୍ତକରେ ୧,୬୦୦ ରୁ ଅଧିକ ଭୁଲ୍ ରହିଥିବା ନେଇ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅଭିଯୋଗ ହୋଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ୭ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
