ଜିଲ୍ଲାସ୍ତରୀୟ ମାନସିକ ସ୍ୱାସ୍ଥ୍ୟ ସଚେତନତା ସଭା: ନିୟମିତ ଚିକିତ୍ସା ଓ ଫଲୋ-ଅପ୍ ଉପରେ ଗୁରୁତ୍ୱାରୋପ
Angul (ଅନୁଗୋଳ)ବ୍ୟୁରୋ ରିପୋର୍ଟ, ଅନୁଗୁଳJune 27, 202633 views

ଅନୁଗୁଳ: ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପ୍ରଶିକ୍ଷଣ କେନ୍ଦ୍ରରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ଓ ବିକାଶ ପ୍ରକଳ୍ପ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସଚେତନତା ସଭା ଆୟୋଜିତ ହୋଇଥିଲା।
ଏହି ସଭାରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା. ମଦନ ମୋହନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଡା. ରଶ୍ମିତା ଭଞ୍ଜଦେଓ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବେ ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଏବଂ ବେସିକ୍ ନିଡ୍ସ ଇଣ୍ଡିଆ, ବେଙ୍ଗାଲୁରୁର ରାଜ୍ୟ ସଂଯୋଜକ ରାଜୀବ କୁମାର କର୍ମୀ ମାନସିକ ରୋଗୀଙ୍କ ଚିକିତ୍ସା, ନିୟମିତ ଔଷଧ ସେବନ, ପରିବାରର ସହଯୋଗ ଓ ସମାଜର ମୁଖ୍ୟ ସ୍ରୋତରେ ସେମାନଙ୍କ ସାମିଲ ହେବା ନେଇ ବିସ୍ତୃତ ଆଲୋଚନା କରିଥିଲେ।
ବକ୍ତାମାନେ କହିଥିଲେ ଯେ, ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ୟୁନିଟ୍ରେ ଅବସାଦ, ଉଦ୍ବେଗ, ସ୍କିଜୋଫ୍ରେନିଆ ସମେତ ବିଭିନ୍ନ ମାନସିକ ରୋଗର ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ନିଶୁଳ୍କରେ ଉପଲବ୍ଧ କରାଯାଉଛି। ତେବେ ଔଷଧର ଉପଲବ୍ଧତା ଜିଲ୍ଲାର ଷ୍ଟକ୍ ଅନୁଯାୟୀ ପରିବର୍ତ୍ତନଶୀଳ ହୋଇପାରେ।
ସଭାରେ ମାନସିକ ରୋଗୀଙ୍କ ପାଇଁ ନିୟମିତ ଫଲୋ-ଅପ୍ର ଗୁରୁତ୍ୱ ଉପରେ ମଧ୍ୟ ଜୋର ଦିଆଯାଇଥିଲା। ନିୟମିତ ଫଲୋ-ଅପ୍ ଦ୍ୱାରା ରୋଗର ଅଗ୍ରଗତି ନିରୀକ୍ଷଣ, ଔଷଧର ପ୍ରଭାବ ଓ ପାର୍ଶ୍ୱ ପ୍ରତିକ୍ରିୟାର ଆକଳନ, ରୋଗ ପୁନର୍ବାର ବଢ଼ିବାର ଆଶଙ୍କା ହ୍ରାସ, ନିୟମିତ ଔଷଧ ସେବନର ସମୀକ୍ଷା ଏବଂ ରୋଗୀ ଓ ପରିବାରକୁ ଆବଶ୍ୟକ ପରାମର୍ଶ ପ୍ରଦାନ ସମ୍ଭବ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ସୁବାସିନୀ ସାହୁ, ପୁଷ୍ପଲତା ପ୍ରଧାନ, ପୁନିଆ ସାହୁ, ଜସ୍ମିତା ପ୍ରଧାନଙ୍କ ସମେତ ସମସ୍ତ କମ୍ୟୁନିଟି ଭଲ୍ୟୁଣ୍ଟିୟର ଓ ଆଶା କର୍ମୀମାନେ ଉପସ୍ଥିତ ଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାର ସମାପନ କରାଯାଇ ଥିଲା l
