--:--:--
-- ---
Srishti News

ଦାରିଦ୍ର୍ୟର କସାଘାତରେ ଜର୍ଜରିତ ଜୀବନ

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁJune 27, 202654 views
ଦାରିଦ୍ର୍ୟର କସାଘାତରେ ଜର୍ଜରିତ ଜୀବନ
ଭଦ୍ରକ-ଧାମନଗର: ଭଙ୍ଗା କୁଡ଼ିଆରେ ଦିନ କାଟୁଛନ୍ତି ଅନନ୍ତ ପ୍ରସାଦ ସେଠି ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ପାଇଁ ଆକୁଳ ନିବେଦନ, ପ୍ରଶାସନର ଦୃଷ୍ଟି କେବେ ପଡ଼ିବ? ସରକାରଙ୍କ ପକ୍ଷରୁ ଗରିବ ଓ ଅସହାୟ ପରିବାରଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଥିବା କଥା କୁହାଯାଉଛି। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତର ପଦ୍ମପୋଖରୀ ଗ୍ରାମର ଅନନ୍ତ ପ୍ରସାଦ ସେଠି ଆଜି ମଧ୍ୟ ଭଙ୍ଗା କୁଡ଼ିଆ ଘରେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ଯୋଗାଇ ଦେବାକୁ ସେ ପ୍ରଶାସନ ନିକଟରେ ବାରମ୍ବାର ନିବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ପଦ୍ମପୋଖରୀ ଗ୍ରାମରେ ବସବାସ କରୁଥିବା ଅନନ୍ତ ପ୍ରସାଦ ସେଠି ଆଜି ଦାରିଦ୍ର୍ୟର କସାଘାତରେ ଜର୍ଜରିତ। ଭଙ୍ଗା ଚାଳ ଓ ଜରାଜୀର୍ଣ୍ଣ କୁଡ଼ିଆ ଘରେ ଅତି ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି, ବର୍ଷା ହେଲେ ଘର ଭିତରକୁ ପାଣି ପଶୁଥିବା ବେଳେ ଭୟ ଓ ଆତଙ୍କ ମଧ୍ୟରେ ରାତି କାଟିବାକୁ ପଡୁଛି। ସରକାରଙ୍କ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ଆଶାରେ ସେ ଗ୍ରାମ ପ୍ରଶାସନ, ସରପଞ୍ଚ ଠାରୁ ଆରମ୍ଭ କରି ବିଭିନ୍ନ ନେତା ଓ ଜନପ୍ରତିନିଧିଙ୍କ ନିକଟରେ ବାରମ୍ବାର ଗୁହାରି କରିଛନ୍ତି। ପ୍ରତିଶ୍ରୁତି ମିଳୁଛି, ହେଲେ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ତାଙ୍କୁ ମିଳିଲା ନାହିଁ । ଅନ୍ୟପଟେ ସରକାର ଗରିବ ଲୋକଙ୍କ ପାଇଁ ପକ୍କା ଘର ଯୋଗାଇ ଦେବାର କଥା କହୁଥିବା ବେଳେ, ଅନନ୍ତ ପ୍ରସାଦ ସେଠିଙ୍କ ଭଳି ପ୍ରକୃତ ହିତାଧିକାରୀ କିଭଳି ଏହି ସୁବିଧାରୁ ବଞ୍ଚିତ ରହୁଛନ୍ତି, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ଦେଖିବାକୁ ବାକି ରହିଲା, ଏହି ଅସହାୟ ପରିବାରର ଦୁଃଖ ଉପରେ ପ୍ରଶାସନର ନଜର କେବେ ପଡ଼ୁଛି ଏବଂ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ କେବେ ମିଳୁଛି।