ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ ସୁଜାତା ପାଣ୍ଡିଆନ୍ (ରାଉତ): ଶଙ୍ଖ ଭବନରେ କର୍ମୀଙ୍କ ଗହଣରେ ନେଲେ ସାଧାରଣ ସଦସ୍ୟତା
Bhubaneswar (ଭୁବନେଶ୍ୱର)ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି, ଓଡିଶାJune 26, 2026125 views

ଭୁବନେଶ୍ୱର: ରାଜ୍ୟ ରାଜନୀତିର ସବୁଠାରୁ ବଡ଼ ଚର୍ଚ୍ଚାର ଅନ୍ତ ଘଟିଛି। ବିଜୁ ଜନତା ଦଳ (ବିଜେଡି) ର ସାଧାରଣ ସଦସ୍ୟ ଭାବେ ଆଜି ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି ପୂର୍ବତନ ଆଇଏଏସ୍ ଅଫିସର ସୁଜାତା ପାଣ୍ଡିଆନ୍ (ରାଉତ)। ଦଳର ମୁଖ୍ୟାଳୟ 'ଶଙ୍ଖ ଭବନ' ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳୀୟ ପତାକା ଧରି ଶଙ୍ଖ ଶିବିରରେ ସାମିଲ ହୋଇଛନ୍ତି।
କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ
ଆଜି ଅପରାହ୍ନରେ ସୁଜାତା ଶଙ୍ଖ ଭବନରେ ପହଞ୍ଚିବା ପରେ ତାଙ୍କୁ ଦଳର ବରିଷ୍ଠ ନେତୃବୃନ୍ଦ, ବିଧାୟକ, ସାଂସଦ ଏବଂ ବିଶେଷ କରି ମହିଳା କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶଙ୍ଖ ଭବନ ପରିସର କର୍ମୀଙ୍କ ଗହଣରେ ଏବଂ ସ୍ଲୋଗାନରେ କମ୍ପି ଉଠିଥିଲା। ଏହି ମିଶ୍ରଣ ପର୍ବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର କର୍ମୀ ଉପସ୍ଥିତ ଥିଲେ।
ସୁଜାତାଙ୍କୁ ଦଳକୁ ସ୍ୱାଗତ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି:
"ମୁଁ ସୁଜାତା ରାଉତଙ୍କୁ ବିଜେଡିକୁ ସ୍ୱାଗତ କରୁଛି। ସେ ଜଣେ ସାଧାରଣ ସଦସ୍ୟ ଭାବେ ଦଳରେ ଯୋଗ ଦେଇଛନ୍ତି। ଜଣେ ଦକ୍ଷ ଆଇଏଏସ୍ ଅଫିସର ଭାବେ ସେ ପୂର୍ବରୁ ଓଡ଼ିଶାର ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି, ବିଶେଷ କରି ମହିଳା ସଶକ୍ତୀକରଣ କ୍ଷେତ୍ରରେ ତାଙ୍କର ବଡ଼ ଅବଦାନ ରହିଛି। ସମୟ ସହିତ ସେ ଏହି ନୂଆ ଭୂମିକାକୁ ଆପଣେଇ ନେବେ ଏବଂ ଲୋକଙ୍କ ସେବା କରିବେ ବୋଲି ମୋର ବିଶ୍ୱାସ।"
ଏହା ସହ ନବୀନ ବାବୁ ପୁଣି ଥରେ ସ୍ପଷ୍ଟ କରିଛନ୍ତି ଯେ, ଆଗାମୀ ନିର୍ବାଚନରେ ସେ ନିଜେ ଦଳର ନେତୃତ୍ୱ ନେବେ।
ବିଜେଡିରେ ଯୋଗଦେବା ପରେ ନିଜର ପ୍ରତିକ୍ରିୟା ରଖି ସୁଜାତା କହିଛନ୍ତି ଯେ, ସେ ଦୀର୍ଘ ୨୪ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଜଣେ ପ୍ରଶାସକ ଭାବେ ଓଡ଼ିଶାର ସେବା କରିବାର ସୁଯୋଗ ପାଇଥିଲେ। ଆଜି ସେହି ପ୍ରେରଣା ନେଇ ସେ ସକ୍ରିୟ ରାଜନୀତିରେ ପାଦ ଥାପିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଲକ୍ଷ ଲକ୍ଷ ବିଜେଡି କର୍ମୀଙ୍କ ସହଯୋଗରେ ସେ ଓଡ଼ିଶାର ବିକାଶ ଏବଂ ବିଶେଷ କରି ମହିଳାମାନଙ୍କ ପ୍ରଗତି ପାଇଁ ସମ୍ପୂର୍ଣ୍ଣ ନିଷ୍ଠାର ସହ କାମ କରିବେ।
କେନ୍ଦ୍ରାପଡ଼ାର ମାଟିର ଝିଅ ସୁଜାତା ରାଉତ ପୂର୍ବରୁ 'ମିଶନ ଶକ୍ତି' ଭଳି ସଫଳ ଯୋଜନାର ସୂତ୍ରଧର ସାଜି ରାଜ୍ୟର ପ୍ରାୟ ୭୦ ଲକ୍ଷ ମହିଳାଙ୍କ ସହ ସିଧାସଳଖ ଯୋଡ଼ି ହୋଇଥିଲେ। ତେଣୁ ସେ ବିଜେଡିରେ ସାମିଲ ହେବା ଦ୍ୱାରା ଦଳର ମହିଳା ଭୋଟ୍ ବ୍ୟାଙ୍କ୍ ଏବଂ ସଂଗଠନ ତୃଣମୂଳ ସ୍ତରରେ ଆହୁରି ମଜବୁତ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।
