--:--:--
-- ---
Srishti News

ଡିଏଭି ନାମଲେଖାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ, ସ୍ୱଚ୍ଛ ତଦନ୍ତ ଦାବି

Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାJune 24, 2026107 views
ଡିଏଭି ନାମଲେଖାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ, ସ୍ୱଚ୍ଛ ତଦନ୍ତ ଦାବି
ଅନୁଗୋଳ: ତାଳଚେର ବ୍ଲକ ଅନ୍ତର୍ଗତ କଳିଙ୍ଗ ଡିଏଭି ପବ୍ଲିକ୍ ସ୍କୁଲରେ ଚଳିତ ଶିକ୍ଷାବର୍ଷର ନାମଲେଖା ପ୍ରକ୍ରିୟାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସ୍କୁଲରେ ଉପଲବ୍ଧ ସିଟ୍ ସଂଖ୍ୟା ତୁଳନାରେ ତିନିଗୁଣାରୁ ଅଧିକ ଆବେଦନ ଫର୍ମ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଫଳରେ ନାମଲେଖା ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠିଛି। କେତେକ ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ସାଧାରଣ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରର ପିଲାମାନେ ନାମଲେଖାରୁ ବଞ୍ଚିତ ହେଉଥିବା ବେଳେ, ପ୍ରଭାବଶାଳୀ ବ୍ୟକ୍ତିଙ୍କ ସନ୍ତାନଙ୍କୁ ପ୍ରାଥମିକତା ମିଳୁଥିବା ଚର୍ଚ୍ଚା ହେଉଛି। ଏପରିକି ନାମଲେଖା ପାଇଁ ୪୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଅବୈଧ ଟଙ୍କା ଆଦାୟ କରାଯାଉଥିବା ନେଇ ମଧ୍ୟ କିଛି ଅଭିଭାବକ ଗୁରୁତର ଅଭିଯୋଗ ଆଣିଛନ୍ତି। ସ୍ଥାନୀୟ ଲୋକଙ୍କ ପ୍ରଶ୍ନ ହେଉଛି, ଯଦି ଏପରି ଅନିୟମିତତା ଘଟୁଛି, ତେବେ ଏହା ସ୍କୁଲ ପରିଚାଳନା କମିଟି ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଜ୍ଞାତସାରରେ ହେଉଛି ନା ଅଜାଣତରେ ଘଟୁଛି? କଳିଙ୍ଗ ଡିଏଭିର ପରିଚାଳନା ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ଏବଂ ହିଙ୍ଗୁଳା କ୍ଷେତ୍ରର ଜିଏମ୍ ଏହି ବିଷୟରେ ସ୍ପଷ୍ଟୀକରଣ ଦେବା ସହ ନାମଲେଖା ପ୍ରକ୍ରିୟାର ସ୍ୱଚ୍ଛ ତଦନ୍ତ କରିବାକୁ ଦାବି ହେଉଛି। ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନେ ଯେପରି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି ଏବଂ ନାମଲେଖା ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳିତ ହେଉ, ସେଥିପାଇଁ ଅଭିଭାବକ ମହଲରୁ ଦୃଢ଼ ଦାବି ହେଉଛି ।