--:--:--
-- ---
Srishti News

ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ଗ୍ରହଣ କଲେ ପ୍ରହଲ୍ଲାଦ ନାଟକର ପ୍ରବୀଣ କଳାଗୁରୁ ସିମଞ୍ଚାଳ ପାତ୍ର

Ganjam (ଗଞ୍ଜାମ)ରିପୋର୍ଟ: କବିରାଜ ପାତ୍ର, ସ୍ୱତନ୍ତ୍ର ପ୍ରତିନିଧି, ଓଡିଶାJune 24, 202648 views
ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ଗ୍ରହଣ କଲେ ପ୍ରହଲ୍ଲାଦ ନାଟକର ପ୍ରବୀଣ କଳାଗୁରୁ ସିମଞ୍ଚାଳ ପାତ୍ର
ରିପୋର୍ଟ: କବିରାଜ ପାତ୍ର, ସ୍ୱତନ୍ତ୍ର ପ୍ରତିନିଧି, ଓଡିଶା ଦିଗପହଣ୍ଡି/ନୂଆଦିଲ୍ଲୀ: ଓଡ଼ିଶାର ଲୋକକଳା ଓ ସଂସ୍କୃତି ପାଇଁ ଆସିଛି ଏକ ଗୌରବମୟ ମୁହୂର୍ତ୍ତ। ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପାରମ୍ପରିକ ଲୋକନାଟ୍ୟ ପ୍ରହଲ୍ଲାଦ ନାଟକର ବରିଷ୍ଠ କଳାକାର ଓ ଗୁରୁ ସିମଞ୍ଚାଳ ପାତ୍ର ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ *ପଦ୍ମଶ୍ରୀ* ରେ ସମ୍ମାନିତ ହୋଇଛନ୍ତି। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଭାରତର ମହାମହିମ ରାଷ୍ଟ୍ରପତି srimati ଦ୍ରୌପଦୀ ମୁର୍ମୁ ମହୋଦୟା ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବାମକେଇ ଗ୍ରାମର ୯୯ ବର୍ଷୀୟ ସିମଞ୍ଚାଳ ପାତ୍ର ନିଜ ଜୀବନର ପ୍ରାୟ ଆଠ ଦଶନ୍ଧିରୁ ଅଧିକ ସମୟ ପ୍ରହଲ୍ଲାଦ ନାଟକର ସଂରକ୍ଷଣ ଓ ପ୍ରସାର ପାଇଁ ଉତ୍ସର୍ଗ କରିଛନ୍ତି। ମାତ୍ର ୧୨ ବର୍ଷ ବୟସରୁ ସେ ନିଜ ପିତା ସୁର ପାତ୍ରଙ୍କ ନିକଟରୁ ଏହି କଳାର ତାଲିମ ନେଇଥିଲେ। ପ୍ରଥମେ ପ୍ରହଲ୍ଲାଦ ଓ ସୂତ୍ରଧାର ଭୂମିକାରେ ଅଭିନୟ କରିଥିବା ବେଳେ ପରେ ହିରଣ୍ୟକଶିପୁ ଚରିତ୍ରରେ ତାଙ୍କ ଅଭିନୟ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ଛାପ ଛାଡ଼ିଥିଲା। ପ୍ରହଲ୍ଲାଦ ନାଟକ ଭଳି ଏକ କଠିନ ଓ ପାରମ୍ପରିକ ମୁଖା ନାଟକକୁ ଜୀବନ୍ତ ରଖିବା ପାଇଁ ସେ ନିଜ ସମ୍ପତ୍ତି ପର୍ଯ୍ୟନ୍ତ ବିକ୍ରି କରିଥିବା କଥା ଜଣାପଡ଼ିଛି। ନଳବଣ୍ଟା, ହୁମ୍ମା, ଖଜୁରିପଲ୍ଲୀ ଓ ସୁକୁନ୍ଦିପଲ୍ଲୀ ସହ ବିଭିନ୍ନ ଅଞ୍ଚଳରେ ଆଖଡ଼ା ସ୍ଥାପନ କରି ସେ ଶତାଧିକ ଶିଷ୍ୟଙ୍କୁ ପ୍ରଶିକ୍ଷିତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୧୯୯୦ ମସିହାରେ ସେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ବର୍ତ୍ତମାନର ପଦ୍ମଶ୍ରୀ ସମ୍ମାନ ତାଙ୍କ ଦୀର୍ଘ ସାଧନା ଓ ଅବଦାନର ଏକ ଐତିହାସିକ ସ୍ୱୀକୃତି ବୋଲି କଳାମହଲରେ ମତ ପ୍ରକାଶ ପାଇଛି। ସମ୍ମାନ ଗ୍ରହଣ ପରେ ସିମଞ୍ଚାଳ ପାତ୍ର କହିଛନ୍ତି, “ଏହା କେବଳ ମୋର ସମ୍ମାନ ନୁହେଁ, ବରଂ ଗଞ୍ଜାମ ମାଟିର ପାରମ୍ପରିକ ପ୍ରହଲ୍ଲାଦ ନାଟକର ସମ୍ମାନ। ଆଗାମୀ ପିଢ଼ି ଏହି କଳାକୁ ବଞ୍ଚାଇ ରଖନ୍ତୁ, ଏହାହିଁ ମୋର ଆଶା।” ଏହି ଖବର ପ୍ରକାଶ ପାଇବା ପରେ ଗଞ୍ଜାମ ସମେତ ସାରା ଓଡ଼ିଶାରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ସାଂସ୍କୃତିକ ସଂଗଠନ, କଳାକାର ଓ ଶୁଭେଚ୍ଛୁମାନେ ସିମଞ୍ଚାଳ ପାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।