NTPC (CSR) ପାଣ୍ଠିରେ ନିର୍ମିତ ସୋଲାର ଚାଳିତ ପାଣି ଟାଙ୍କି ଅଚଳ, ପାନୀୟ ଜଳ ପାଇଁ ହନ୍ତସନ୍ତ ଗ୍ରାମବାସୀ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 22, 2026112 views

ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା
ଅନୁଗୋଳ: କଣିହାଁ ବ୍ଲକ ଅଧୀନସ୍ଥ ବଇଣ୍ଡା ଗ୍ରାମରେ NTPCର CSR ପାଣ୍ଠିରୁ ନିର୍ମିତ ସୋଲାର ଚାଳିତ ପାଣି ଟାଙ୍କି ବର୍ତ୍ତମାନ ଅଚଳ ଅବସ୍ଥାରେ ପଡ଼ି ରହିଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପରୁ ଗ୍ରାମବାସୀ ଆବଶ୍ୟକୀୟ ପାନୀୟ ଜଳ ସୁବିଧା ପାଇପାରୁ ନାହାନ୍ତି।
ସୂଚନା ଅନୁଯାୟୀ, ଟାଙ୍କିରୁ ଜଳ ଯୋଗାଣ ବନ୍ଦ ଥିବାବେଳେ ବିଭିନ୍ନ ସ୍ଥାନରେ ଲାଗିଥିବା ଟ୍ୟାପଗୁଡ଼ିକ ମଧ୍ୟ ଭାଙ୍ଗି ଯାଇଛି। ଫଳରେ ଗ୍ରାମବାସୀ ପାନୀୟ ଜଳ ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରୀଷ୍ମ ଓ ବର୍ଷା ଋତୁରେ ମଧ୍ୟ ଶୁଦ୍ଧ ପାଣିର ଅଭାବ ଲୋକଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି।
ସ୍ଥାନୀୟ ଲୋକଙ୍କ ପ୍ରଶ୍ନ, ଜନସାଧାରଣଙ୍କ ସୁବିଧା ପାଇଁ ନିର୍ମିତ ଏହି ପ୍ରକଳ୍ପ ଯଦି କାର୍ଯ୍ୟକ୍ଷମ ନହୁଏ, ତେବେ ଏହା କାହା ସ୍ୱାର୍ଥରେ ନିର୍ମାଣ କରାଗଲା? ଏନେଇ ଗ୍ରାମବାସୀ NTPC କର୍ତ୍ତୃପକ୍ଷଙ୍କ ଦୃଷ୍ଟିଆକର୍ଷଣ କରି ଯଥାଶୀଘ୍ର ମରାମତି କରି ନିୟମିତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି।
