ଖଲ୍ଲିକୋଟ ବ୍ଲକ୍ ପରିସରର ଅବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ
Ganjam (ଗଞ୍ଜାମ)ରିପୋର୍ଟ: ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି, ଖଲିକୋଟJune 20, 202663 views

ରିପୋର୍ଟ: ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି, ଖଲିକୋଟ
ଗଞ୍ଜାମ-ଖଲ୍ଲିକୋଟ (ସ୍ରିଷ୍ଟି ନିୟୁଜ): ଖଲ୍ଲିକୋଟ ବ୍ଲକ୍ କାର୍ଯ୍ୟାଳୟ ପରିସରର ଦୟନୀୟ ଅବସ୍ଥାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବ୍ଲକ୍ ପରିସର ଚାରିପାଖରେ ଲଟାବୁଦା ଭରି ରହିଥିବା ବେଳେ ଅଧିକାଂଶ ସରକାରୀ କ୍ୱାର୍ଟର ଫାଙ୍କା ପଡ଼ିଥିବା ଦେଖାଯାଇଛି। ବିଡିଓଙ୍କ ସରକାରୀ ବାସଭବନରେ ମଧ୍ୟ କେହି ରହୁନଥିବା ସୂଚନା ମିଳିଛି।
ସେହିପରି ବ୍ଲକ୍ ପରିସରର କମ୍ୟୁନିଟି ହଲ୍ ଭଗ୍ନାବସ୍ଥାରେ ଥିବା ବେଳେ ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥାର ଅବସ୍ଥା ମଧ୍ୟ ଶୋଚନୀୟ ବୋଲି ଅଭିଯୋଗ ହୋଇଛି। ବ୍ଲକ୍କୁ କୋଟି କୋଟି ଟଙ୍କାର ବିକାଶ ଅନୁଦାନ ଆସୁଥିବା ସତ୍ତ୍ୱେ ଭିତ୍ତିଭୂମି ସୁବିଧାର ଏପରି ଅବସ୍ଥାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।
ଅନ୍ୟପଟେ ବ୍ଲକ୍ର ବିଭିନ୍ନ କାର୍ଯ୍ୟ ଓ ଖର୍ଚ୍ଚ ସମ୍ପର୍କରେ ସ୍ୱଚ୍ଛତା ରହିଛି କି ନାହିଁ ସେନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ଅଣନିର୍ବାଚିତ ବ୍ୟକ୍ତି ଅଧିକାରୀମାନଙ୍କ ଉପରେ ପ୍ରଭାବ ବିସ୍ତାର କରୁଥିବା ଅଭିଯୋଗ ମଧ୍ୟ ଉଠିଛି। ଫଳରେ ପ୍ରଶାସନିକ କାର୍ଯ୍ୟକଳାପ ଓ ଲୋକପ୍ରତିନିଧିଙ୍କ ଭୂମିକା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏହି ସମସ୍ତ ବିଷୟରେ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି।
