ଧାନ ଉଠାଣରେ ବିଳମ୍ବ: ଜୁନାଗଡ଼ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କୃଷକଙ୍କ ବିକ୍ଷୋଭ
Kalahandi (କଳାହାଣ୍ଡି)ରିପୋର୍ଟ: ଦେବରାଜ ବାଣୁଆ, ଜୁନାଗଡ଼June 19, 202665 views

ରିପୋର୍ଟ: ଦେବରାଜ ବାଣୁଆ, ଜୁନାଗଡ଼
ଜୁନାଗଡ଼: ଧାନ ମଣ୍ଡିରୁ ଧାନ ଉଠାଣରେ ଅବ୍ୟବସ୍ଥା ଓ ବିଳମ୍ବକୁ ନେଇ ଜୁନାଗଡ଼ ବ୍ଲକର ଭୈରିଗୁଡ଼ା ପଞ୍ଚାୟତର ଶତାଧିକ କୃଷକ ଗୁରୁବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଧାନ ବଜାରରୁ ଶୀଘ୍ର ଧାନ ଉଠାଣ ଓ କୃଷକଙ୍କ ସମସ୍ୟାର ସମାଧାନ ଦାବିରେ ସେମାନେ ଧାରଣାରେ ବସିଥିଲେ।
କୃଷକମାନଙ୍କ ଅଭିଯୋଗ ଅନୁସାରେ, ରାଜ୍ୟ ସରକାର ଗତ ମେ ୨୦ ତାରିଖରୁ ରବି ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ କରିଥିଲେ ମଧ୍ୟ ବଜାରରୁ ଧାନ ଉଠାଣ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। ବଜାର ଆରମ୍ଭ ହେବାର ପ୍ରାୟ ୨୮ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେବଳ ୨୫ରୁ ୩୦ ପ୍ରତିଶତ ଧାନ କ୍ରୟ ହୋଇଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ପ୍ରତିବାଦ ସ୍ୱରୂପ କୃଷକମାନେ ଟ୍ରାକ୍ଟରରେ ଧାନ ବସ୍ତା ଭର୍ତ୍ତି କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖକୁ ଆଣି ଅଭିନବ ଢଙ୍ଗରେ ଧାରଣା ଦେଇଥିଲେ। ସେମାନଙ୍କ କହିବା ଅନୁଯାୟୀ, ଟୋକନ ପାଇବା ପରେ ଧାନ ମଣ୍ଡିକୁ ଆଣିଥିଲେ, କିନ୍ତୁ ପ୍ରାୟ ୩,୫୫୫ କ୍ୱିଣ୍ଟାଲରୁ ଅଧିକ ଧାନ ଏବେ ଖୋଲା ଆକାଶ ତଳେ ପଡ଼ି ରହିଛି। ବର୍ଷା ହେଲେ ସମଗ୍ର ଫସଲ ନଷ୍ଟ ହେବାର ଆଶଙ୍କା ଥିବାରୁ କୃଷକମାନେ ଚିନ୍ତାରେ ଅଛନ୍ତି।
ଧାନ ଉଠାଣ ପ୍ରକ୍ରିୟାରେ ତୁରନ୍ତ ସୁଧାର ଆଣିବା ଏବଂ ମଣ୍ଡି ବ୍ୟବସ୍ଥାକୁ ସୁଚାରୁ କରିବା ପାଇଁ କୃଷକମାନେ ଦାବି କରିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ।
ପରେ ପ୍ରଶାସନ ପକ୍ଷରୁ ଲିଖିତ ଭାବେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିବାରୁ କୃଷକମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ଏହି ବିକ୍ଷୋଭରେ ଭୈରିଗୁଡ଼ା ପଞ୍ଚାୟତ ସହ ଆଖପାଖ ଅଞ୍ଚଳର ଶତାଧିକ କୃଷକ ଅଂଶଗ୍ରହଣ କରିଥିଲେ।
