ବିଶ୍ୱ ରକ୍ତଦାତା ଦିବସ ଅବସରରେ ଜିଲ୍ଲାସ୍ତରୀୟ ରକ୍ତଦାତା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
Dhenkanal (ଢେଙ୍କାନାଳ)ସୁଶାନ୍ତ କୁମାର ପୋଥାଳ, ଭୁବନJune 17, 202664 views

ଢେଙ୍କାନାଳ ୧୭.୬: ବିଶ୍ୱ ରକ୍ତଦାତା ଦିବସ-୨୦୨୬ ପାଳନ ଅବସରରେ ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ରେଡକ୍ରସ ସୋସାଇଟିର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ରକ୍ତଦାତା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରା ଯୋଗଦେଇ ରକ୍ତଦାନକୁ ଏକ ମହତ୍ କାର୍ଯ୍ୟ ବୋଲି ବର୍ଣ୍ଣନା କରିଥିଲେ। ରକ୍ତଦାନ ଦ୍ୱାରା ଶରୀରର କୌଣସି କ୍ଷତି ହୁଏ ନାହିଁ କିମ୍ବା ଦୁର୍ବଳତା ଅନୁଭବ ହୁଏ ନାହିଁ ବୋଲି ସେ କହିଥିଲେ। ଅନ୍ୟର ମୂଲ୍ୟବାନ ଜୀବନ ରକ୍ଷା ପାଇଁ ସମସ୍ତେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ସେ ଆହ୍ୱାନ ଜଣାଇଥିଲେ।
ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସଞ୍ଜୟ କୁମାର ମହାପାତ୍ର କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା କୌଣସି ମାଧ୍ୟମରେ କୃତ୍ରିମ ଭାବେ ରକ୍ତ ସୃଷ୍ଟି କରାଯାଇ ପାରିନାହିଁ। ସେହିପରି ପଶୁପକ୍ଷୀଙ୍କ ରକ୍ତ ମଧ୍ୟ ମନୁଷ୍ୟ ପାଇଁ ପ୍ରଯୁଜ୍ୟ ନୁହେଁ। ରକ୍ତଦାନଠାରୁ ଅଧିକ ମହତ୍ କାର୍ଯ୍ୟ ଆଉ କିଛି ନାହିଁ, କାରଣ ଏହା ଅନ୍ୟ ଜଣଙ୍କର ଅମୂଲ୍ୟ ଜୀବନ ବଞ୍ଚାଇପାରେ। ସଂକ୍ରମଣର ଆଶଙ୍କା ଥିବାରୁ ପେଶାଦାର ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ ନ କରିବାକୁ ସେ ପରାମର୍ଶ ଦେଇଥିଲେ।
ଉତ୍ସବରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ରଖୁଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ, କ୍ଲବ୍ର କର୍ମକର୍ତ୍ତା ଓ ବ୍ୟକ୍ତିଗତ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଡାକ୍ତର ସପନ କୁମାର ମହାନ୍ତି, ଆପାତକାଳୀନ ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଶେଷରେ ବ୍ଲଡ୍ ବ୍ୟାଙ୍କ ଅଧିକାରୀ ସ୍ୱରୂପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

