--:--:--
-- ---
Srishti News

୩ ବର୍ଷ ହେଲା ବୋର୍ଡ ଲାଗିଛି, ହେଲେ ହୋଇପାରୁନି ମା' ଗ୍ରାମଦେବତୀଙ୍କ ମନ୍ଦିର ନିର୍ମାଣ

Nayagarh (ନୟାଗଡ଼)ରିପୋର୍ଟ: ସଞ୍ଜୟ କୁମାର କଅଁର, ନୂଆଗାଁJune 16, 202683 views
୩ ବର୍ଷ ହେଲା ବୋର୍ଡ ଲାଗିଛି, ହେଲେ ହୋଇପାରୁନି ମା' ଗ୍ରାମଦେବତୀଙ୍କ ମନ୍ଦିର ନିର୍ମାଣ
ନୟାଗଡ଼, ନୂଆଗାଁ: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଅନ୍ତର୍ଗତ ନଇତଇଲା ଗ୍ରାମର ଆଦିବାସୀ ସାହିରେ ମା' ଗ୍ରାମଦେବତୀଙ୍କ ମନ୍ଦିର ନିର୍ମାଣ ଦାବି ଦୀର୍ଘ ତିନି ବର୍ଷ ଧରି ଅପୂରଣୀୟ ରହିଥିବା ଅଭିଯୋଗ ହୋଇଛି। ଗ୍ରାମବାସୀମାନେ ଏନେଇ ବାରମ୍ବାର ପ୍ରଶାସନ ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ସେମାନେ କହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମନ୍ଦିର ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ ସହ ବୋର୍ଡ ମଧ୍ୟ ଲଗାଯାଇଥିଲା। ତେବେ ଏହାପରେ କାମ ଆଗକୁ ବଢ଼ିନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ପଞ୍ଚାୟତର ସରପଞ୍ଚଙ୍କୁ ଏନେଇ ଜଣାଇଲେ ମଧ୍ୟ ପଞ୍ଚାୟତରେ ଅର୍ଥାଭାବ ଥିବା କହି ସେ ଦାୟିତ୍ୱ ଏଡ଼ାଇ ଯାଉଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ଙ୍କ ପାଇଁ ମା' ଗ୍ରାମଦେବତୀଙ୍କ ମନ୍ଦିର ଆସ୍ଥା ଓ ସଂସ୍କୃତିର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ଏହାର ନିର୍ମାଣ ବିଳମ୍ବକୁ ନେଇ ସ୍ଥାନୀୟ ଲୋକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଶୀଘ୍ର ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ବ୍ୟବସ୍ଥା କରି କାମ ଆରମ୍ଭ କରିବାକୁ ସେମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଯଦି ଏନେଇ ତୁରନ୍ତ ପଦକ୍ଷେପ ନିଆନଯାଏ, ତେବେ ଗ୍ରାମବାସୀମାନେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ସତର୍କ କରାଇ ଦେଇଛନ୍ତି l