--:--:--
-- ---
Srishti News

ରଜ ମଉଜ ହେଲା କାଳ: ଇବ୍ ନଦୀରେ ବୁଡ଼ି ନାବାଳକ ସମେତ ୨ ମୃତ, ଡାକ୍ତରଖାନାରେ ଉତ୍ତେଜନା

Jharsuguda (ଝାରସୁଗୁଡ଼ା)ବ୍ୟୁରୋ ରିପୋର୍ଟ, ଝାରସୁଗୁଡାJune 15, 202633 views
ରଜ ମଉଜ ହେଲା କାଳ: ଇବ୍ ନଦୀରେ ବୁଡ଼ି ନାବାଳକ ସମେତ ୨ ମୃତ, ଡାକ୍ତରଖାନାରେ ଉତ୍ତେଜନା
ଝାରସୁଗୁଡ଼ା : ରଜ ପର୍ବର ଖୁସି ଆଜି ଏକ ପରିବାର ପାଇଁ ଅତ୍ୟନ୍ତ ଦୁଃଖଦାୟକ ପାଲଟିଯାଇଛି। ଝାରସୁଗୁଡ଼ା ଜିଲ୍ଲା ଇବ୍ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ନାବାଳକଙ୍କ ସମେତ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ବୟ ହେଲେ କେନ୍ଦ୍ରାପଡ଼ା ଅଞ୍ଚଳର ପଙ୍କଜ ସାହୁ (୨୧) ଓ ଝାରସୁଗୁଡ଼ା ସିରିଆବଗିଚା ଅଞ୍ଚଳର ଅଭିରାମ ଓରଫ୍ ଗିରିଜା ଶଙ୍କର ସାହୁ (୧୬)। ଏହି ଘଟଣା ପରେ ଚିକିତ୍ସା ଅବହେଳା ଅଭିଯୋଗ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ### 📌 କେମିତି ଘଟିଲା ଦୁର୍ଘଟଣା? ସୂଚନା ଅନୁଯାୟୀ, ସିରିଆବଗିଚା ଅଞ୍ଚଳର ଅଭିରାମଙ୍କ ଘରେ ପଙ୍କଜଙ୍କ ପରିବାର ଭଡ଼ାରେ ରହୁଥିଲେ। ରବିବାର ଛୁଟିଦିନ ଏବଂ ରଜ ମଉଜ ଥିବାରୁ ଉଭୟ ପରିବାର ମଧ୍ୟାହ୍ନରେ ଖିଆପିଆ ସାରି ବୁଲିବା ପାଇଁ ଇବ୍ ନ‌ଦୀର ବୁଢ଼ୀପଦର ନିକଟସ୍ଥ ବାଲିବନ୍ଧକୁ ଯାଇଥିଲେ। ସେଠାରେ ପଙ୍କଜ ଓ ଅଭିରାମ ନଦୀକୁ ଗାଧୋଇବାକୁ ଯାଇ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ପରିବାର ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପାଣିରୁ ଉଦ୍ଧାର କରାଯାଇଥିଲା। ### 🏥 ଚିକିତ୍ସାରେ ଅବହେଳା ଅଭିଯୋଗ, ମେଡିକାଲରେ ହୋହଲ୍ଲା ଉଭୟଙ୍କୁ ଉଦ୍ଧାର କରିବା ପରେ ପ୍ରଥମେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଏହାପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲେ ମଧ୍ୟ ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ କୌଣସି ଡାକ୍ତର କିମ୍ବା କର୍ମଚାରୀ ସେମାନଙ୍କୁ ଦେଖିବାକୁ ଆସିନଥିଲେ। ଉଦ୍ଧାରକାରୀ ଦଳର ଜଣେ ସମାଜସେବୀ ଡାକ୍ତରଖାନାରେ ପହଞ୍ଚି ପାଟିତୁଣ୍ଡ କରିବା ପରେ ଗୁରୁତରଙ୍କୁ ଆଶୁ ଚିକିତ୍ସା ବିଭାଗକୁ ନିଆଯାଇଥିଲା। ମାତ୍ର ସେଠାରେ ଏକ ଇଞ୍ଜେକ୍ସନ୍ ଦେବାର ମାତ୍ର ୫ ମିନିଟ୍ ମଧ୍ୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସଠିକ୍ ସମୟରେ ଚିକିତ୍ସା ନମିଳିବା କାରଣରୁ ହିଁ ଉଭୟଙ୍କ ଜୀବନ ଯାଇଥିବା ନେଇ ପରିବାର ଓ ସ୍ଥାନୀୟ ଯୁବକମାନେ ଡାକ୍ତରଖାନା ପରିସରରେ ପ୍ରବଳ ହଙ୍ଗାମା କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ତଦନ୍ତ ଆରମ୍ଭ କରିଛି।