ପବିତ୍ରନଗରରେ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ୩୮ତମ ତିରୋଧାନ ଦିବସ ପାଳିତ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 14, 202686 views

ଅନୁଗୋଳ: କଣିହାଁ ବ୍ଲକ ଅନ୍ତର୍ଗତ ପବିତ୍ରନଗରରେ ଓଡ଼ିଶାର ବିଶିଷ୍ଟ ଜନନେତା, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଗଡ଼ଜାତ ଆନ୍ଦୋଳନର ମୁଖ୍ୟ ପୁରୋଧା ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ୩୮ତମ ତିରୋଧାନ ଦିବସ ଶ୍ରଦ୍ଧା ଓ ଭାବଗମ୍ଭୀର ପରିବେଶରେ ପାଳିତ ହୋଇଯାଇଛି।
ପବିତ୍ରନଗର ହାଇସ୍କୁଲ ପଡ଼ିଆସ୍ଥିତ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତିପୀଠରେ ଆଞ୍ଚଳିକ ବିପ୍ଲବୀ ପବିତ୍ରମୋହନ ଫାଉଣ୍ଡେସନ ପକ୍ଷରୁ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଅତିଥି ଓ ଉପସ୍ଥିତ ବ୍ୟକ୍ତିବିଶେଷମାନେ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଏହି ସ୍ମୃତିସଭାରେ ବରିଷ୍ଠ ସମାଜସେବୀ ରବି ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ପ୍ରଧାନଙ୍କ ସଂଗ୍ରାମୀ ଜୀବନ, ଜନସେବା ଓ ଗଡ଼ଜାତ ଆନ୍ଦୋଳନରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଫାଉଣ୍ଡେସନର ସଭାପତି ମାନସ ରଞ୍ଜନ ପ୍ରଧାନ, ସମ୍ପାଦକ ଲମ୍ବୋଦର ପ୍ରଧାନ, ଉପସଭାପତି ମହେଶ୍ୱର ସାମଲ, ଶିକ୍ଷାବିତ ପୁରୁଷୋତ୍ତମ ବେହେରା, କୋଷାଧ୍ୟକ୍ଷ ସୁବାସ ମହାନ୍ତି, ଅବନୀକାନ୍ତ ଦେହୁରୀ, ନିତ୍ୟାନନ୍ଦ ବିଶ୍ୱାଳ, ଧ୍ରୁବଚରଣ ବିଶ୍ୱାଳ, ବିରଞ୍ଚି ନାରାୟଣ ସାହୁ, ତପନ କୁମାର ବେହେରା, ଯୁବ ସମାଜସେବୀ ସୁକାନ୍ତ ମହାନ୍ତି, ପ୍ରସନ୍ନ ସାହୁ, ଅରୁଣ କୁମାର ସାହୁ, ଯୁଗଳ କିଶୋର ସାହୁ ଓ ପାଣ୍ଡବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ବକ୍ତାମାନେ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ତ୍ୟାଗ, ସଂଘର୍ଷ, ନେତୃତ୍ୱ ଓ ଜନକଲ୍ୟାଣମୂଳକ କାର୍ଯ୍ୟକୁ ସ୍ମରଣ କରି କହିଥିଲେ ଯେ, ତାଙ୍କର ଆଦର୍ଶ ଓ ଦେଶପ୍ରେମ ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ। ଗଡ଼ଜାତ ଅଞ୍ଚଳର ଉନ୍ନତି ଓ ଲୋକଙ୍କ ଅଧିକାର ପାଇଁ ତାଙ୍କର ଅବଦାନ ଚିରସ୍ମରଣୀୟ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ।
ଶେଷରେ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ଅମର ସ୍ମୃତି ପ୍ରତି ସାମୂହିକ ଶ୍ରଦ୍ଧାଞ୍ଜଳି ଜଣାଇ ସଭାର ସମାପନ କରାଯାଇଥିଲା।
