--:--:--
-- ---
Srishti News

ପିଏମପିଜିଏଚ୍‌ରେ ଷ୍ଟାଫ୍ ନର୍ସ ନିଯୁକ୍ତି ଦୁର୍ନୀତି ପ୍ରତିବାଦରେ ବିଜେଡିର ବିଶାଳ ବିକ୍ଷୋଭ, ଉଚ୍ଚସ୍ତରୀୟ ତଦନ୍ତ ଦାବି

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 14, 202663 views
ପିଏମପିଜିଏଚ୍‌ରେ ଷ୍ଟାଫ୍ ନର୍ସ ନିଯୁକ୍ତି ଦୁର୍ନୀତି ପ୍ରତିବାଦରେ ବିଜେଡିର ବିଶାଳ ବିକ୍ଷୋଭ, ଉଚ୍ଚସ୍ତରୀୟ ତଦନ୍ତ ଦାବି
ଅନୁଗୋଳ: ତାଳଚେର ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟ (ପିଏମପିଜିଏଚ୍)ରେ ଷ୍ଟାଫ୍ ନର୍ସ ନିଯୁକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ ଅନିୟମିତତାକୁ ନେଇ ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟସେବା ଭଳି ସମ୍ବେଦନଶୀଳ କ୍ଷେତ୍ରରେ ଏପରି ଦୁର୍ନୀତିକୁ ଦଳ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଥିଲା। ବିକ୍ଷୋଭରେ ଯୋଗଦେଇଥିବା ନେତୃବୃନ୍ଦ କହିଥିଲେ ଯେ, ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସହ ଜଡିତ ଏହି ପବିତ୍ର ଅନୁଷ୍ଠାନରେ ନିଯୁକ୍ତି ପ୍ରକ୍ରିୟାରେ ହୋଇଥିବା ଅନିୟମିତତା ଅତ୍ୟନ୍ତ ଚିନ୍ତାଜନକ ଓ ନିନ୍ଦନୀୟ। ଏଭଳି ଘଟଣା ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସକୁ କ୍ଷୁଣ୍ଣ କରୁଛି। ଏହି ଆନ୍ଦୋଳନରେ ମାନ୍ୟବର ପୂର୍ବତନ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, ପୂର୍ବତନ ବିଧାୟକ ଶ୍ରୀ ମୁକେଶ ପାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଶ୍ରୀମତୀ ବବିତା ପ୍ରଧାନ, ରାଜ୍ୟ ସମ୍ପାଦକ ଶ୍ରୀ ବିପ୍ଲବ ଜେନା, କଣିହାଁ ବ୍ଲକ ଅଧ୍ୟକ୍ଷ ଶ୍ରୀ ରାମକୃଷ୍ଣ ପ୍ରଧାନ, ଅନୁଗୋଳ ପୌରପରିଷଦ ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ନେତା, ଜନପ୍ରତିନିଧି, ଦଳୀୟ କର୍ମୀ ଓ ସଚେତନ ନାଗରିକ ଯୋଗଦେଇଥିଲେ। ବିକ୍ଷୋଭ ଶେଷରେ ପ୍ରତିନିଧି ଦଳ ଅନୁଗୋଳ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଘଟଣାର ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ କରିବା, ସମ୍ପୂର୍ଣ୍ଣ ଦୁର୍ନୀତିର ପର୍ଦ୍ଦାଫାଶ କରିବା ସହ ଦୋଷୀମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଜଣାଇଥିଲେ। ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଘଟଣାର ନିରପେକ୍ଷ ତଦନ୍ତ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ।