୩୦ ଲକ୍ଷରୁ ଅଧିକ ରାଜସ୍ୱ ଆଦାୟ, ତଥାପି ମୌଳିକ ସୁବିଧାରୁ ବଞ୍ଚିତ ସାଉଥ୍ ବଲଣ୍ଡା ପରିବା ମାର୍କେଟ ବ୍ୟବସାୟୀ
Angul (ଅନୁଗୋଳ)ରିପୋର୍ଟ: ସନାତନ କର, ତାଳଚେରJune 13, 202647 views

ଅନୁଗୁଳ: ତାଳଚେର କଳାହୀରାର ସହର ଭାବେ ପରିଚିତ। ଏହି ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ନିକଟରେ ପ୍ରତିଦିନ ଏକ ବୃହତ୍ ପରିବା ମାର୍କେଟ ବସୁଛି। ଏହି ମାର୍କେଟକୁ ପ୍ରତିବର୍ଷ ବ୍ଲକ ପ୍ରଶାସନ ପକ୍ଷରୁ ନିଲାମ କରାଯାଉଥିବା ବେଳେ ଏଥିରୁ ପ୍ରାୟ ୩୦ ରୁ ୩୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଜସ୍ୱ ଆଦାୟ ହେଉଛି। କିନ୍ତୁ ଦୁଃଖର ବିଷୟ, ଏତେ ବଡ଼ ରାଜସ୍ୱ ଆଦାୟ ସତ୍ତ୍ୱେ ମାର୍କେଟରେ ବ୍ୟବସାୟ କରୁଥିବା ଶତାଧିକ ଗରିବ ବ୍ୟବସାୟୀଙ୍କ ପାଇଁ ନ୍ୟୂନତମ ମୌଳିକ ସୁବିଧା ମଧ୍ୟ ଉପଲବ୍ଧ ନାହିଁ। ମାର୍କେଟରେ ପିଇବା ପାଣିର ବ୍ୟବସ୍ଥା ନାହିଁ, ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ନାହିଁ, ପରିଷ୍କାର-ପରିଚ୍ଛନ୍ନତା ପାଇଁ ସୁଇପର ନିଯୁକ୍ତ ହୋଇନାହାନ୍ତି କିମ୍ବା ରାତ୍ରି ଜଗୁଆଳି ମଧ୍ୟ ନାହାନ୍ତି। ଫଳରେ ମାର୍କେଟ ଚାରିପାଖରେ ଅଳିଆ ଆବର୍ଜନାର ଗଦା ଜମି ରହୁଛି। ସେହି ଅପରିଷ୍କାର ପରିବେଶ ମଧ୍ୟରେ ବ୍ୟବସାୟୀମାନେ ଖରା, ବର୍ଷା ଓ ଅନ୍ୟାନ୍ୟ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ବ୍ୟବସାୟ କରିବାକୁ ବାଧ୍ୟ ହେଉଛନ୍ତି ବ୍ୟବସାୟୀମାନଙ୍କ କହିବା ଅନୁସାରେ, ସେମାନେ ନିଜ ସମସ୍ୟା ନେଇ ଉପଜିଲ୍ଲାପାଳ, ବ୍ଲକ ଅଧ୍ୟକ୍ଷ ଏବଂ ସମ୍ପୃକ୍ତ ସରପଞ୍ଚଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯାଇନାହିଁ।
ତେଣୁ ଏହି ଗରିବ ବ୍ୟବସାୟୀମାନଙ୍କ ଦୁଃଖ ଓ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ମାର୍କେଟରେ ଆବଶ୍ୟକ ମୌଳିକ ସୁବିଧା ଯଥା ପାଣି, ଆଲୋକ, ସ୍ୱଚ୍ଛତା ଏବଂ ସୁରକ୍ଷା ବ୍ୟବସ୍ଥା ଶୀଘ୍ର ଯୋଗାଇ ଦେବାକୁ ସ୍ଥାନୀୟ ବ୍ୟବସାୟୀ ଓ ସାଧାରଣ ଜନତା ପ୍ରଶାସନ ନିକଟରେ ଦାବି କରିଛନ୍ତି।


