--:--:--
-- ---
Srishti News

ଚାକିରି ନାଁରେ ୨୧ ଲକ୍ଷ ଟଙ୍କା ଠକେଇ: ଜଣେ ଗିରଫ, ନକଲି ନିଯୁକ୍ତି ପତ୍ର ଜବତ

Ganjam (ଗଞ୍ଜାମ)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଆସିକାJune 13, 202652 views
ଚାକିରି ନାଁରେ ୨୧ ଲକ୍ଷ ଟଙ୍କା ଠକେଇ: ଜଣେ ଗିରଫ, ନକଲି ନିଯୁକ୍ତି ପତ୍ର ଜବତ
ଆସିକା, ୧୩ ଜୁନ: ରେଳୱେରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ୨୧ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଓଲଟପୁର ଗ୍ରାମର ଗଦାଧର ନାଥ। ସୂଚନା ଅନୁଯାୟୀ, ଆସିକା ଥାନା ଅଞ୍ଚଳର ସାପୁଆପଲ୍ଲୀ ଗ୍ରାମର ବାଳକୃଷ୍ଣ ପାଲ ନାମକ ଜଣେ ଯୁବକଙ୍କୁ ରେଳୱେରେ ଲୋକୋ ପାଇଲଟ ଚାକିରି କରାଇ ଦେବାକୁ ଅଭିଯୁକ୍ତ ପ୍ରଲୋଭନ ଦେଇଥିଲେ। ଏହି ଆଶ୍ୱାସନ ଦେଇ ପର୍ଯ୍ୟାୟ କ୍ରମେ ତାଙ୍କଠାରୁ ପ୍ରାୟ ୨୧ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଚାକିରି ନ ମିଳିବା ସହ ଦିଆଯାଇଥିବା ନିଯୁକ୍ତି ପତ୍ର ନକଲି ବୋଲି ଜଣାପଡ଼ିବା ପରେ ପୀଡ଼ିତ ଯୁବକ ଆସିକା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରି ଗଦାଧର ନାଥଙ୍କୁ ଗିରଫ କରିଛି। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ନକଲି ନିଯୁକ୍ତି ପତ୍ର ସମେତ କିଛି ନଗଦ ଟଙ୍କା ଜବତ କରିଥିବା ଜଣାପଡ଼ିଛି। ଏହି ଘଟଣା ସମ୍ପର୍କରେ ଆସିକା ଏସଡିପିଓ ସୌରଭ ରଞ୍ଜନ ପ୍ରଧାନ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି। ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଥିବା ବେଳେ ଏହି ଠକେଇ ଚକ୍ରରେ ଅନ୍ୟ କେହି ସଂପୃକ୍ତ ଅଛନ୍ତି କି ନାହିଁ, ସେନେଇ ଖୋଳତାଡ଼ ଜାରି ରହିଛି।