--:--:--
-- ---
Srishti News

ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ସଚେତନା କାର୍ଯ୍ୟକ୍ରମ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହାନ ସାହୁJune 12, 202676 views
ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ସଚେତନା କାର୍ଯ୍ୟକ୍ରମ
ଅନୁଗୁଳ: ବିଶ୍ୱ ଯୁବ କେନ୍ଦ୍ର, ବଣୀନାଳୀ, ଅନୁଗୁଳ ଦ୍ୱାରା ପରିଚାଳିତ “ଆକ୍ସେସ ଟୁ ଜଷ୍ଟିସ” କାର୍ଯ୍ୟକ୍ରମ ଅଧୀନରେ ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକର ବିଭିନ୍ନ ପଞ୍ଚାୟତ ଓ ଗ୍ରାମରେ ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ସଚେତନତା ବୈଠକ ସଫଳତାର ସହ ଆୟୋଜିତ ହୋଇଯାଇଛି। କଙ୍କିନାଳୀ, ସାନ୍ତରାପୁର, ଗଡ଼ସନ୍ତ୍ରୀ, ଭାଗବତପୁର, ଗାଙ୍ଗିଯୋଡ଼ି ଓ ବଉଳିଗଡ଼ ପଞ୍ଚାୟତ ଅନ୍ତର୍ଗତ ବଉଳିଗଡ଼, ଜୁହାରପୁର, ପୁରିକିଆ ଏବଂ ଅରାହଟ ଗ୍ରାମରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ୱାର୍ଡ ସଦସ୍ୟ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, କିଶୋରୀ ଓ କିଶୋରମାନଙ୍କ ସମେତ ସ୍ଥାନୀୟ ଲୋକଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। ବୈଠକରେ ଶିଶୁମାନଙ୍କୁ ସେମାନଙ୍କର ମୌଳିକ ଅଧିକାରରୁ ବଞ୍ଚିତ କରୁଥିବା ସମସ୍ୟାଗୁଡ଼ିକ ଯଥା ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମ ଏବଂ ଅନ୍ୟାନ୍ୟ ବିପଦସଙ୍କୁଳ କାର୍ଯ୍ୟରେ ଶିଶୁମାନଙ୍କ ନିୟୋଜନ ଭଳି ଗୁରୁତର ବିଷୟ ଉପରେ ବିଶେଷ ଆଲୋଚନା କରାଯାଇଥିଲା। ଏହା ସହିତ ବାଲ୍ୟ ବିବାହ ଓ ଶିଶୁ ଶ୍ରମ ସମ୍ବନ୍ଧୀୟ ଭାରତୀୟ ଆଇନ, ଦଣ୍ଡବିଧାନ ଓ ନିୟମାବଳୀ ବିଷୟରେ ଉପସ୍ଥିତ ଲୋକଙ୍କୁ ସଚେତନ କରାଯାଇଥିଲା। ପ୍ରତ୍ୟେକ ଶିଶୁର ବଞ୍ଚିବାର ଅଧିକାର, ସୁରକ୍ଷାର ଅଧିକାର, ବିକାଶର ଅଧିକାର ଓ ଅଂଶଗ୍ରହଣର ଅଧିକାର ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ ପ୍ରକଳ୍ପ ସହଯୋଗୀ ଲକ୍ଷ୍ମୀ ବେହେରା ସଭାଗୁଡ଼ିକର ପରିଚାଳନା କରିଥିଲେ। ଏଭଳି ସଚେତନତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ଅଧିକାର ସୁରକ୍ଷା ଏବଂ ଶିଶୁମାନଙ୍କ ପାଇଁ ଏକ ନିରାପଦ ଓ ସୁସ୍ଥ ସାମାଜିକ ପରିବେଶ ଗଠନ ଦିଗରେ ବିଶ୍ୱ ଯୁବ କେନ୍ଦ୍ରର ଏହି ପଦକ୍ଷେପ ପ୍ରଶଂସନୀୟ ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି।