--:--:--
-- ---
Srishti News

କୋମନା ପୋଲିସର ବଡ଼ ଚଢ଼ାଉ: ୧୩୧ କିଲୋ ଗଞ୍ଜେଇ ସହ ୫ ଅଭିଯୁକ୍ତ ଗିରଫ

Nuapada (ନୂଆପଡ଼ା)ରିପୋର୍ଟର: ମଳୟ ମେହେରJune 10, 202683 views
କୋମନା ପୋଲିସର ବଡ଼ ଚଢ଼ାଉ: ୧୩୧ କିଲୋ ଗଞ୍ଜେଇ ସହ ୫ ଅଭିଯୁକ୍ତ ଗିରଫ
କୋମନା: ନୂଆପଡ଼ା ଜିଲ୍ଲାରେ ନିଶା କାରବାର ବିରୋଧୀ ଅଭିଯାନକୁ ଆହୁରି ତୀବ୍ର କରିଛି ପୋଲିସ । ବିଶ୍ୱସ୍ତ ସୂଚନା ଆଧାରରେ କୋମନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୩୧.୦୬୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୯ ତାରିଖରେ କୋମନା ଥାନା ଅଞ୍ଚଳରେ କିଛି ବ୍ୟକ୍ତି ବିପୁଳ ପରିମାଣର ଗଞ୍ଜେଇ ମଜୁତ ରଖି ଏହାକୁ ଛତିଶଗଡ଼ର ରାୟପୁରକୁ ଚାଲାଣ କରିବା ପାଇଁ ଅପେକ୍ଷା କରୁଥିବା ଖବର ମିଳିଥିଲା । ଏହାପରେ ପୋଲିସ ତୁରନ୍ତ ସକ୍ରିୟ ହୋଇ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଆରମ୍ଭ କରିଥିଲା । ଚଢ଼ାଉ ସମୟରେ କିଛି ସନ୍ଦିଗ୍ଧ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଥିଲେ ମଧ୍ୟ ପୋଲିସ ୫ ଜଣଙ୍କୁ କାବୁ କରି ଗିରଫ କରିଥିଲା। ଅଭିଯୁକ୍ତମାନଙ୍କ ନିକଟରୁ ୧୩୧.୦୬୦ କିଲୋଗ୍ରାମ ଗଞ୍ଜେଇ ଏବଂ ଏକ ଓପୋ A53 ମୋବାଇଲ ଫୋନ ଜବତ କରାଯାଇଛି । ପୋଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଫେରାର ଅଭିଯୁକ୍ତମାନଙ୍କ ଗିରଫଦାରୀ ପାଇଁ ତଲାସି ଅଭିଯାନ ଚାଲିଛି । ଏଥିସହ ଗଞ୍ଜେଇ କାରବାରର ପଛରେ ଥିବା ନେଟୱାର୍କ, ଯୋଗାଣକାରୀ ଏବଂ ଗ୍ରାହକଙ୍କ ସଂପର୍କରେ ମଧ୍ୟ ତଦନ୍ତ ଆରମ୍ଭ କରାଯାଇଛି । ନିଶା କାରବାର ବିରୋଧରେ କୋମନା ପୋଲିସର ଏହି ସଫଳ ଅଭିଯାନ ସ୍ଥାନୀୟ ଅଞ୍ଚଳରେ ବେଆଇନ ମାଦକ ଦ୍ରବ୍ୟ ବ୍ୟବସାୟ ଉପରେ ଏକ ବଡ଼ ଆଘାତ ବୋଲି ମନେ କରାଯାଉଛି ।