ନିଲମ୍ବିତ ହେଲେ ଆସିକା SDPO ସନ୍ତୋଷ କୁମାର ଜେନା
Ganjam (ଗଞ୍ଜାମ)କବିରାଜ ପାତ୍ର, ଆସିକାMay 15, 2026161 views

କାର୍ଯ୍ୟ ରେ ଅବହେଳା ଓ ସୁନା ଦୋକାନୀଙ୍କ ସହ ବିବାଦ ଅଭିଯୋଗରେ ନିଲମ୍ବିତ ହେଲେ ଆସିକା SDPO ସନ୍ତୋଷ ଜେନା
ଓଡ଼ିଶା ପୋଲିସ ବିଭାଗରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ଓ ସୁନା ଦୋକାନୀ ଙ୍କ ସହ ବିବାଦ ନେଇ ଆସିକାର ଉପଖଣ୍ଡ ପୋଲିସ ଅଧିକାରୀ (SDPO) ସନ୍ତୋଷ କୁମାର ଜେନା (OPS) ଙ୍କୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି। ଓଡ଼ିଶା ସିଭିଲ ସର୍ଭିସ (Classification, Control & Appeal) Rules, 1962 ର Rule 12(1) ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।
ସୂଚନା ଅନୁଯାୟୀ, ଆସିକାର ଜଣେ ସୁନା ଗହଣା ଦୋକାନୀ SDPO ସନ୍ତୋଷ ଜେନାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ଅଭିଯୋଗ ଅନୁସାରେ, SDPO ସେହି ଦୋକାନରୁ ସୁନା ଗହଣା ନେଇ ସେଥିପାଇଁ ଦେୟ ବା ଟଙ୍କା ପୈଠ କରିନଥିଲେ। ଏହି ବିଷୟକୁ ନେଇ ସୁନା ଦୋକାନୀ ଜଣକ ପୋଲିସ ମହାନିର୍ଦ୍ଦେଶକ (DGP) ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ (CM Grievance Cell) ଲିଖିତ ଆପତ୍ତି କରିବା ସହ ସୋସିଆଲ ମିଡିଆରେ ମଧ୍ୟ ନିଜର ଦୁଃଖ ପ୍ରକାଶ କରି ଏକ ଭିଡିଓ ପୋଷ୍ଟ କରିଥିଲେ (ଯାହା ପରବର୍ତ୍ତୀ ସମୟରେ ଡିଲିଟ୍ ହୋଇଯାଇଥିଲା)।
ଏହି ଅଭିଯୋଗକୁ ଭିତ୍ତି କରି ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ଘଟଣାର ତଦନ୍ତ କରି ଏକ ସବିଶେଷ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଥିଲା। ଏସପିଙ୍କ ତଦନ୍ତ ରିପୋର୍ଟ ଆଧାରରେ ରାଜ୍ୟ ଗୃହ ବିଭାଗ ଏହି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ନିଲମ୍ବନ ଅବଧି ମଧ୍ୟରେ ସନ୍ତୋଷ ଜେନାଙ୍କ ମୁଖ୍ୟ ଦପ୍ତର (Headquarters) ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ଆଇଜି (IGP, Southern Range) ଙ୍କ କାର୍ଯ୍ୟାଳୟରେ ନିର୍ଦ୍ଧାରଣ କରାଯାଇଛି। ସେ ସେହି କାର୍ଯ୍ୟାଳୟର ପ୍ରଶାସନିକ ନିୟନ୍ତ୍ରଣରେ ରହିବେ ଏବଂ ବିନା ଅନୁମତିରେ ସେହି ମୁଖ୍ୟ ଦପ୍ତର ଛାଡ଼ି ବାହାରକୁ ଯାଇପାରିବେ ନାହିଁ। ନିଲମ୍ବନ ସମୟରେ ଓଡ଼ିଶା ସର୍ଭିସ କୋଡ୍ ର ନିୟମ ୯୦ ଅନୁଯାୟୀ ସେ ନିର୍ବାହ ଭତ୍ତା (Subsistence Allowance) ପାଇବାକୁ ଯୋଗ୍ୟ ହେବେ।
ଉଲ୍ଲେଖଯୋଗ୍ୟ ଯେ, ସନ୍ତୋଷ ଜେନା ପୂର୍ବରୁ ବଡ଼ଗଡ଼ ଥାନା ଅଧିକାରୀ ଭାବେ କାର୍ଯ୍ୟ କରି ସେହି ଥାନାକୁ ଦେଶର ଶ୍ରେଷ୍ଠ ଥାନା ସମ୍ମାନ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ସାମ୍ପ୍ରତିକ ସମୟରେ ଗଞ୍ଜାମ ଜିଲ୍ଲାରେ ଘଟିଥିବା ଏକ ଗର୍ଭବତୀ ମହିଳା ହତ୍ୟାକାଣ୍ଡ ମାମଲାର ଚାଲୁଥିବା ତଦନ୍ତ ମଧ୍ୟରେ ତାଙ୍କର ଏହି ହଠାତ୍ ନିଲମ୍ବନ ସ୍ଥାନୀୟ ଅଞ୍ଚଳ ଏବଂ ପୋଲିସ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।
